Unknown

 

 

 

 

 

 

 

 

 

 

 

 

ଗୋପବନ୍ଧୁ

ଉଦୟନାଥ ଷଡ଼ଙ୍ଗୀ

 

-୧-

 

ଗୋଟିଏ ଛୋଟ ପିଲା ରୋଗରେ ପଡ଼ିଛି, ଛଟପଟ ହେଉଛି । ଡାକ୍ତର ରାତିଦିନ ପାଖରେ ବସି ଚିକିତ୍ସା କରୁଛନ୍ତି । ରୋଗ ଖୁବ୍‍ ସାଂଘାତିକ; ପିଲା ବଞ୍ଚିବ କି ମରିବ–ଏହିପରି ଅବସ୍ଥା ।

 

ବାପା ମାଆଙ୍କର ସେ ପୁଣି ଏକମାତ୍ର ପୁଅ । ଏପରି ଅବସ୍ଥାରେ କେଉଁ ବାପ ମା’ ଧୈର୍ଯ୍ୟ ଧରି ରହିପାରିବେ ?

 

ବାପା କାହିଁକି ଘର ଛାଡ଼ି ପଦାକୁ ଯାଇଥିଲେ । କିଛି ସମୟ ପରେ ଫେରି ଆସିଲେ । ମୁହଁ ଶୁଖି ଯାଇଛି ।

 

ଡାକ୍ତର ଏ କଥା କିଛି ବୁଝିପାରିଲେ ନାହିଁ । ଆଉ ଯେ ବନ୍ଧୁବାନ୍ଧବ ସେଠାରେ ଥିଲେ, ସେମାନେ ମଧ୍ୟ କିଛି ଠଉରେଇ ପାରିଲେ ନାହିଁ ।

 

ବାପା କହିଲେ–କାକଟପୁର ଅଞ୍ଚଳରେ ଭାରି ବଢ଼ି । ନଈ ସୁଅରେ କେତେ ଗାଁ ଗଣ୍ଡା ଭାସିଯାଇଛି । ଶହଶହ ଲୋକ ପିଲାକବିଲା ଧରି ଭୋକ ଉପାସରେ ପଡ଼ି ରହିଛନ୍ତି । କେହି କେହି ଗଛ ଉପରେ ଆଶ୍ରା ନେଇଛନ୍ତି । ଏପରି ଅବସ୍ଥାରେ ମୁଁ ଏଠି ରହିବି କେମିତି ? ତାଙ୍କର ତ କିଛି ସୁବିଧା କରିବାକୁ ହେବ ?

 

ଡାକ୍ତର ଜବାବ ଦେଲେ–ଘରେ ପୁଅର ଅବସ୍ଥା ଏପରି । ତାକୁ ଛାଡ଼ି ତୁମେ ଯିବ ବାହାର ଲୋକଙ୍କ ସେବା କରିବାକୁ ? ଏ କେଉଁ ନ୍ୟାୟ କଥା ?

 

ଏତିକିରେ ବାପ ଆଖିରୁ ଦୁଇ ଧାର ଲୁହ ଗଡ଼ିପଡ଼ିଲା । ସେ କାନ୍ଦ କାନ୍ଦ ସ୍ଵରରେ କହିଲେ–ମୁଁ ପୁଅକୁ ଠାକୁରଙ୍କ ଜିମା ଦେଇଗଲି । ତୁମେ ତ ଅଛ । ମୁଁ ଏଠି ରହିଲେ ଆଉ ଅଧିକା କଅଣ କରିବି ? ଯଦି ଠାକୁରଙ୍କର ତାକୁ ନେଇଯିବାର ବରାଦ ଥିବ, ତେବେ ମୁଁ କ’ଣ ରଖିପାରିବି-? ପୁଣି ଦେଖ, ମୁଁ ଯଦି ମୋର ଗୋଟିଏ ପୁଅ ପାଇଁ ଏଠି ବସିରହିବି, ତେବେ ତେଣେ ଯେ ଶହଶହ ବାପା ମା’ ସେମାନଙ୍କ ପୁଅ ଝିଅମାନଙ୍କୁ ହରାଇବେ । ଶହଶହ ବାପା ମାଆଙ୍କ ଶୋକ ଯେବେ ଦୂର ହେବ, ସେଇ କ’ଣ ମୋର ଯଥେଷ୍ଟ ନୁହେଁ ? ଗୋଟିଏ ପୁଅ ବଡ଼ ନା ଶହଶହ ପୁଅ ବଡ଼ ?

 

ଡାକ୍ତର ଏ କଥାର ବା କି ଉତ୍ତର ଦେବେ ? ବନ୍ଧୁବାନ୍ଧବମାନେ ତଳକୁ ମୁହଁ ପୋତି ଚୁପ୍‍ ହୋଇ ରହିଲେ ।

 

ବାପ ନିଜର ଲୁଗାପଟା ଦୁଇଖଣ୍ଡି ଧରି ଘର ଛାଡ଼ି ବାହାରି ପଡ଼ିଲେ । ତାଙ୍କ ସାଙ୍ଗରେ ଆଉ କେତେକ ସ୍କୁଲ ପିଲା ବି ଗଲେ ।

 

ସେମାନେ ବଢ଼ି ଅଞ୍ଚଳ ବୁଲି ଲୋକମାନଙ୍କୁ ଚୂଡ଼ା ଚାଉଳ ବାଣ୍ଟିଲେ । ଯେଉଁମାନେ ପାଣି ମଝିରେ ଅପନ୍ତରାରେ ପଡ଼ି ହଇରାଣ ହେଉଥିଲେ ତାଙ୍କୁ ନାଆରେ ବସାଇ ଶୁଖିଲା ସ୍ଥାନକୁ ଆଣିଲେ । ବଢ଼ି ଅଞ୍ଚଳର ଲୋକେ–ବୁଢ଼ାବୁଢ଼ୀ, ପିଲାଛୁଆ ଆଶ୍ଵାସନା ପାଇଲେ ।

 

କ୍ରମେ ସେମାନେ ଥୟ ଥା ହେଲାରୁ ବାପା ନିଜ ଘରକୁ ଫେରିଲେ । ଆସି ଦେଖିଲେ, ଘରେ ପୁଅ ନାହିଁ । ସେ ଘରଛାଡ଼ି ଯିବାର ଦିନକ ପରେ ପୁଅ ମରିଯାଇଛି ।

 

ଶହଶହ ବାପାମାଆଙ୍କ ମନରେ ପୁଅଶୋକ ନ ହେଉ, ସେଥିପାଇଁ ସେ ନିଜେ ପୁଅଶୋକକୁ ବରି ନେଇଥିଲେ । ଏମିତି ପରୋପକାରୀ ମନୁଷ୍ୟ ଦୁନିଆରେ କେଇ ଜଣ ଅଛନ୍ତି ?

Image

 

-୨-

 

ଦେବତାଭଳି ଏ ଲୋକଟି କିଏ ଜାଣ ? ଏ ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ । ତାଙ୍କୁ ‘ଉତ୍କଳମଣି‘ ବୋଲି କୁହଯାଉଥିଲା । ପ୍ରକୃତରେ ଆମଦେଶ ଉତ୍କଳର ସେ ଥିଲେ ମଣି । ତେଣୁ ତାଙ୍କର ଏ ନାମ ସାର୍ଥକ ହୋଇଥିଲା । ମଣିପରି ସେ ସବୁ ସମୟରେ ଜକଜକ କରୁଥିଲେ । ଅନ୍ଧାରରେ ଆଲୋକ ଦେଉଥିଲେ । ଏବେ ମଧ୍ୟ ତାଙ୍କ ମହିମାରେ ଆମ ଦେଶ ଆଲୋକିତ ହେଉଛି ।

 

ଗୋପବନ୍ଧୁ ପୁରୀ ଜିଲ୍ଲାର ସୁଆଣ୍ଡୋ ବୋଲି ଗୋଟିଏ ଗାଁରେ ଜନ୍ମିଥିଲେ । ତାଙ୍କ ବାପାଙ୍କ ନାମ ଦଇତ୍ୟାରି ଦାସ ଓ ମାଆଙ୍କ ନାମ ସ୍ଵର୍ଣ୍ଣମୟୀ ଦେବୀ ।

 

ଗୋପବନ୍ଧୁ ଯେ କେବଳ ପର ପାଇଁ, ଦୀନ ଦରିଦ୍ରଙ୍କ ପାଇଁ ଏ ସଂସାରକୁ ଆସିଥିଲେ, ତାହା ତାଙ୍କ ଜନ୍ମ ସମୟରୁ ଜଣା ପଡ଼ିଥିଲା । ସେ ଜନ୍ମ ନେବା ଆଗରୁ ତାଙ୍କ ମା’ ସ୍ଵର୍ଣ୍ଣମୟୀ ଦେବୀ ବଡ଼ କଷ୍ଟ ପାଇଲେ । ବହୁତ ବଇଦ ଆସିଲେ, କେତେ ପ୍ରକାର ଔଷଧ ଦିଆଗଲା । ତଥାପି କିଛି ଫଳ ହେଲାନାହିଁ । ଏହି ସମୟରେ ଜଣେ କେହି କହିଲେ, ସ୍ଵର୍ଣ୍ଣମୟୀ ଦେବୀଙ୍କୁ ଏ ଘରୁ ଆଉ ଜଣଙ୍କ ଘରକୁ ନେଇଯାଅ । ଦେଖିବା ସେଠାରେ କଅଣ ହେବ ?

 

ସେହି ଅନୁସାରେ ସାଇର ଆଉ ଗୋଟିଏ ଗରିବ ଲୋକ ଘରକୁ ତାଙ୍କୁ ନିଆଗଲା । ସେ ଘରେ ପାଦ ଦେବାକ୍ଷଣି ପୁଅ ଜନ୍ମ ହେଲା । ଦଇତ୍ୟାରି ଦାସ ଓ ସ୍ଵର୍ଣ୍ଣମୟୀ ଦେବୀ ପୁଅ ଜନ୍ମରେ ଯେତିକି ଖୁସି ହେଲେ, ସେ ଗରିବ ଲୋକଟି ବି ସେତିକି ଖୁସି ହେଲା ।

 

ଏହି ପିଲାର ନାମ ଦିଆଗଲା ଗୋପବନ୍ଧୁ । ସେ ଯେତେବେଳେ ଅତି ସାନ, ସେତେବେଳେ ତାଙ୍କ ମା’ ସ୍ଵର୍ଣ୍ଣମୟୀ ମରିଗଲେ । ତାଙ୍କ ପିଉସୀ ତାଙ୍କୁ ପାଳିଲେ ।

 

ଦଇତ୍ୟାରି ଦାସଙ୍କ ଠାକୁର ଘରେ ନିତି ସନ୍ଧ୍ୟାରେ ଭାଗବତ ବୋଲାଯାଏ । ଗୋପବନ୍ଧୁ ଛୁଆଟି ବେଳୁ ସନ୍ଧ୍ୟା ହେଲେ ଯାଇ ଭାଗବତ ବୋଲା ପାଖରେ ବସନ୍ତି । ସବୁ କଥା ତ ବୁଝିପାରନ୍ତି ନାହିଁ । କିନ୍ତୁ ଯେଉଁ ପଦଗୁଡ଼ିକ ତାଙ୍କୁ ଭଲ ଲାଗେ ତାହା ମନରେ ରଖନ୍ତି । ଅନ୍ୟ ସମୟରେ ଖେଳିଲାବେଳେ ସେଇ ପଦଗୁଡ଼ିକ ମନକୁ ମନ ଗାଆନ୍ତି । ସାଙ୍ଗ ପିଲାଙ୍କ ସାଥିରେ ମିଶି ଦାଣ୍ଡରେ ଖେଳୁଥିବାବେଳେ ଗାଆନ୍ତି–

 

“ମହୀମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ ।

ଅଧିକ ଲୋକ ଯହିଁ ମିଳି, ଅବଶ୍ୟ ଉପୁଜଇ କଳି ।’’

Image

 

-୩-

 

ବୟସ ବେଶି ହେବା ସାଙ୍ଗେସାଙ୍ଗେ ଗୋପବନ୍ଧୁ ଗାଁ ଅବଧାନଙ୍କ ପାଖରେ ପାଠପଢ଼ା ଆରମ୍ଭ କଲେ । ଅଳ୍ପ ସମୟ ଭିତରେ ସେ ବହୁତ କଥା ମନେ ରଖି ପାରୁଥିଲେ । ସେତେବେଳେ ତାଳପତ୍ରରେ ଲେଖନ ସାହାଯ୍ୟରେ ପିଲାଏ ହସ୍ତାକ୍ଷର ଲେଖୁଥିଲେ । ଗୋପବନ୍ଧୁ ଆଉ କିଛି ବିଷୟ ହସ୍ତାକ୍ଷରରେ ନ ଲେଖି, ଭାଗବତ ପଦ ଯାହା ମନେ ରଖୁଥିଲେ, ତାହା ଲେଖୁଥିଲେ । ପଦେ ପଦେ ନିଜ ମନକୁ ମଧ୍ୟ ତାହା ସହିତ ମିଳାଇ କବିତା ଲେଖି ଦେଉଥିଲେ ।

 

ତା’ ପରେ ସେ ଭର୍ଣ୍ଣାକୁଲର ସ୍କୁଲରେ ପଢ଼ିଲେ । ସେଠାରୁ ପାଶ୍‍ କରି ବୃତ୍ତି ପାଇଲେ । ପାଠପଢ଼ାରେ ଆଗ୍ରହ ଦେଖି ତାଙ୍କ ପିତା ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଦେଲେ । ସେତେବେଳେ କବିବର ରାଧାନାଥ ରାୟ ଓଡ଼ିଶା ସ୍କୁଲ ଇନ୍‍ସପେକ୍‍ଟର । ଓଡ଼ିଶାର ଚାରିଆଡ଼େ ତାଙ୍କୁ ଓ ତାଙ୍କ ଲେଖା କବିତାକୁ ସମସ୍ତେ ଭାରି ଆଦର କରନ୍ତି ।

 

ଗୋପବନ୍ଧୁ ଓଡ଼ିଶାର ପୁରୁଣା କବି ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ଜଗନ୍ନାଥ ଦାସ ପ୍ରଭୃତିଙ୍କ କବିତାକୁ ଭାରି ପ୍ରଶଂସା କରୁଥିଲେ । କିନ୍ତୁ ନୂଆ ହୋଇ ଇଂରାଜୀ ଶିକ୍ଷା ପାଇଥିବା ପଣ୍ଡିତମାନେ ଓଡ଼ିଶାର ଏହି ପୁରୁଣା କବିମାନଙ୍କୁ ଘୃଣା କରୁଥିଲେ । ସେହି ସମୟରେ ଗୋପବନ୍ଧୁଙ୍କର ଗୋଟିଏ କବିତା ଖବର କାଗଜରେ ଛପା ହୋଇଥିଲା । ସେଥିରେ ପୁରୁଣା କବିଙ୍କୁ ପ୍ରଶଂସା କରି ନୂଆ କବି ରାଧାନାଥଙ୍କୁ ଟିକିଏ ସମାଲୋଚନା କରାଯାଇଥିଲା । କବିତାରେ ଗୋପବନ୍ଧୁଙ୍କ ନାମ ନ ଥିଲା । କିଏ ଏ କବିତା ଲେଖିଛି ବୋଲି ରାଧାନାଥ ବାବୁ ପଚାରିଲେ । ଗୋପବନ୍ଧୁ ଟିକିଏ ହେଲେ ଡରିଲେ ନାହିଁ । ଠିଆ ହୋଇ ସାଙ୍ଗେ ସାଙ୍ଗେ ସତ କଥା ମାନିଗଲେ । କହିଲେ–ସେ କବିତାଟି ମୁଁ ଲେଖିଛି । ଚତୁର୍ଥ ଶ୍ରେଣୀର ଗୋଟିଏ ପିଲା ସ୍କୁଲ ଇନ୍‍ସପେକ୍‍ଟରଙ୍କୁ ସମାଲୋଚନା କରି କବିତା ଲେଖିବ–ଏ କଥା ସ୍କୁଲ ହେଡ଼ମାଷ୍ଟରଙ୍କ ଦେହରେ ଗଲାନାହିଁ । ଇନ୍‍ସପେକ୍‍ଟରଙ୍କ ନିର୍ଦ୍ଦେଶରେ ଗୋପବନ୍ଧୁ ପାଉଥିବା ବୃତ୍ତି କାଟି ଦିଆଗଲା । ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରବେଶିକା ପରୀକ୍ଷା ହେଉଥିଲା ।

 

ସେହି ଇନ୍‍ସପେକ୍‍ଟର କବିବର ରାଧାନାଥ ରାୟ ପରେ ଗୋପବନ୍ଧୁଙ୍କ କବିତା ପଢ଼ି ଖୁବ୍ ପ୍ରଶଂସା କରିଥିଲେ । ଆଶୀର୍ବାଦ ଦେଇଥିଲେ । ପ୍ରତିଦିନ ସକାଳେ ନଈକୂଳକୁ ବୁଲିଗଲାବେଳେ ସ୍ନେହରେ ତାଙ୍କୁ ସାଙ୍ଗରେ ନେଉଥିଲେ । ସାହିତ୍ୟ ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରୁଥିଲେ ।

 

୧୮୯୯ ଖ୍ରୀଷ୍ଟାବ୍ଦରେ ଗୋପବନ୍ଧୁ ପ୍ରବେଶିକା ପରୀକ୍ଷାରେ ପାଶ୍‍ କଲେ । ରେଭେନ୍‍ସା କଲେଜରେ ନାମ ଲେଖାଇଲେ । ସ୍କୁଲରେ ପାଠ ପଢ଼ିବା ସାଙ୍ଗେ ସାଙ୍ଗେ ସେ ସାଥି ପଢ଼ୁଆମାନଙ୍କୁ ଏକାଠି କରି ସଭା ସମିତି ଗଢ଼ିବା, ଦେଶର ହାନିଲାଭ ବୁଝିବା ଆଦିରେ ମନ ଦେଉଥିଲେ । କଥାରେ ସାଙ୍ଗସାଥିମାନଙ୍କୁ ସେ ଏମିତି ମୋହି ନେଉଥିଲେ ଯେ ତାଙ୍କ ସହିତ ମିଶିବାକୁ ପିଲାଏ ଭାରି ଆଗ୍ରହ ପ୍ରକାଶ କରୁଥିଲେ । ସବୁ କ୍ଷେତ୍ରରେ ସେ ହୋଇଯାଉଥିଲେ ପିଲାମାନଙ୍କର ନେତା–ପରାମର୍ଶଦାତା ।

 

କଲେଜକୁ ଆସି ଗୋପବନ୍ଧୁଙ୍କ କାମ ବଢ଼ିଗଲା । ବେଶୀ ସାଙ୍ଗ ସାଥି ଜୁଟିଲେ । ଦେଶର ହାନିଲାଭ ବୁଝିବା, ସାହିତ୍ୟର ଉନ୍ନତି କରିବା , ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବାରେ ସେ ଲାଗିପଡ଼ିଲେ ।

 

ସାଙ୍ଗ ପିଲାଙ୍କୁ ନେଇ ସବୁ ଶନିବାର ଦିନ ସେ ଗୋଟିଏ ଆଲୋଚନା ସଭା କଲେ । ସେଥିରେ ସାହିତ୍ୟ ବିଷୟରେ ଯୁକ୍ତିତର୍କ ହେଲା । ଦେଶରେ କେଉଁଠି ମରୁଡ଼ି ପଡ଼ିଛି, କେଉଁଠି ବଢ଼ି ହେଲା, ଗାଁ ଲୋକେ କିପରି ପାଠ ପଢ଼ିବେ–ଏ ସବୁ କଥାର ବି ବିଚାର ଚାଲିଲା । ଖାଲି ଯେ ବିଚାର ହେଉଥାଏ, ତା’ ନୁହେଁ । ଯଦି ଗୋପବନ୍ଧୁ ଶୁଣିଲେ ଅମୁକ ଗାଁ ନଈବଢ଼ିରେ ଭାସିଗଲା, ତେବେ ସାଙ୍ଗସାଥୀଙ୍କୁ ଧରି ସେ ସାଙ୍ଗେ ସାଙ୍ଗେ ସେ ଅଞ୍ଚଳକୁ ଯାଉଥିଲେ । ଭୋକ ଉପାସରେ ରହି, ବହୁ କଷ୍ଟ ଯନ୍ତ୍ରଣା ସହି ଲୋକଙ୍କୁ ବିପଦରୁ ଉଦ୍ଧାର କରୁଥିଲେ । ସହରରୁ ଚାଉଳ, ଚୁଡ଼ା, ଲୁଗା ଆଦି ମାଗି ନେଇ ସେମାନଙ୍କ ମଧ୍ୟରେ ବାଣ୍ଟୁଥିଲେ । ପାଠପଢ଼ାରେ ଯେତେ ମନ ନଥାଏ, ଦେଶଲୋକଙ୍କ ଅଭାବ ଅସୁବିଧା କଥା ଚିନ୍ତା କରିବାରେ ସେତେ ମନ ଥାଏ । କେଉଁଠି କିଏ ଖାଇବାକୁ ପାଉନାହିଁ, କେଉଁଠି କିଏ ଟିକିଏ ଔଷଧ ନ ପାଇ ଛଟପଟ ହେଉଛି, କେଉଁଠି ହଜାରରେ ଲୋକ ପୋକମାଛି ପରି ମରୁଛନ୍ତି–ଏହି ଚିନ୍ତା ତାଙ୍କୁ ସବୁବେଳେ ଘାରୁଥାଏ । ଏହିକଥା ଭାବି ସେ ଭୋ ଭୋ କାନ୍ଦି ଉଠନ୍ତି, ଖିଆପିଆ ଛାଡ଼ି ଦିଅନ୍ତି ।

 

ଦେଶର ସବୁ ଅଞ୍ଚଳର ଗାଁ ଯେପରି ନିଜ ଗାଁ । ସବୁ ଗ୍ରାମର ଲୋକେ ନିଜର ଭାଇଭଉଣୀ–ସଖା ସୋଦର । ସେମାନଙ୍କ ଆପଦ ବିପଦକୁ ସେ ନିଜର ବିପଦ ବୋଲି ମଣୁଥିଲେ-

 

ଏହିପରି ଅବସ୍ଥାରେ ଗୋପବନ୍ଧୁ ବି.ଏ. ପାଶ୍ କଲେ । ଓକିଲାତି ପଢ଼ିବାକୁ କଲିକତା ଗଲେ । ସେଠାରେ ତାଙ୍କ ପଢ଼ିବାରେ ବେଶି ମନ ଲାଗିଲା ନାହିଁ । ଓଡ଼ିଆ କୁଲି କଲିକତାରେ କିପରି ଗଧ ଖଟଣି ଖଟନ୍ତି, କେମିତି ମଇଳା ଅସନା ଜାଗାରେ ରହି ଦିନ କାଟନ୍ତି, ମାଲିକଠାରୁ କିପରି ମାଡ଼ଗାଳି ଖାଆନ୍ତି, ଏହା ସେ ଗଳି ଗଳି ବୁଲି ଦେଖିଲେ । ଏଥିରେ ତାଙ୍କ ମନରେ ବଡ଼ କଷ୍ଟ ହେଲା । ସେ ସେଠାରେ ଓଡ଼ିଆ କୁଲିମାନଙ୍କୁ ବୁଝାଇ ସମିତିମାନ ଗଢ଼ିଲେ । ସେମାନଙ୍କ ମନରେ ସାହସ ଦେଲେ । ସେମାନେ କିପରି କାମ କରି ଫେରି ଆସିଲେ ରାତିରେ ପାଠ ପଢ଼ିବେ, ସେଥିପାଇଁ ନାନା ସ୍ଥାନରେ ରାତି ସ୍କୁଲ ବସାଇଲେ । ଏହା ଫଳରେ କଲିକତାରେ ଓଡ଼ିଆ ଶ୍ରମିକମାନେ ଏକତ୍ରିତ ହେଲେ । ସେମାନଙ୍କ ମନରେ ଦମ୍ଭ ଆସିଲା । ଆଗରୁ ନୀରବରେ ଯେଉଁ ଅପମାନ ସହୁଥିଲେ, ତା’ର ପ୍ରତିବାଦ କଲେ । ଅପମାନରୁ କେତେକ ପରିମାଣରେ ରକ୍ଷା ମିଳିଲା-

 

ଓକିଲାତି ପାଶ୍‌ କରି ଗୋପବନ୍ଧୁ ଓଡ଼ିଶାକୁ ଫେରି ଆସିଲେ । ମୟୁରଭଞ୍ଜରେ ସେତେବେଳେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ରାଜା । ଗୋପବନ୍ଧୁଙ୍କ କାର୍ଯ୍ୟକଳାପ ଓ ଗରିବ ଲୋକଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଦେଖି ଭାରି ଖୁସି ହୋଇଥିଲେ । ତେଣୁ ତାଙ୍କୁ ନିଜ ରାଜ୍ୟର ଓକିଲ କରି ନେଇଥିଲେ ।

 

ଗୋପବନ୍ଧୁ ତ କୌଣସିଠାରେ ବନ୍ଧା ହୋଇ ପଡ଼ି ରହିବା ଲୋକ ନୁହନ୍ତି । ମହାରାଜା ଶ୍ରୀରାମଚନ୍ଦ୍ର ଅଳ୍ପ ବୟସରେ ମରିଗଲେ । ଗୋପବନ୍ଧୁ ମୟୁରଭଞ୍ଜ ଛାଡ଼ି ଚାଲିଆସିଲେ ।

 

ତାଙ୍କର ପ୍ରଥମ ଚିନ୍ତା ହେଲା, ଦେଶଲୋକେ କିପରି ଶିକ୍ଷିତ ହେବେ । ଗାଁ ଗାଁରେ ସ୍କୁଲ ବସିଗଲେ ସମସ୍ତେ ସୁବିଧାରେ ପାଠ ପଢ଼ିପାରିବେ । ଏହା ଭାବି ସେ କେତେକ ସାଙ୍ଗଙ୍କୁ ନେଇ ସତ୍ୟବାଦୀଠାରେ ଗୋଟିଏ ସ୍କୁଲ ବସାଇଲେ । ଆଗକାଳର ୠଷିଆଶ୍ରମ ଆଦର୍ଶରେ ସ୍କୁଲ ଗୋଟିଏ ବଣଭିତରେ ହେଲା । ଅଳ୍ପ ଦିନ ମଧ୍ୟରେ ସ୍କୁଲର ଖ୍ୟାତି ଏତେ ବଢ଼ିଗଲା ଯେ ସବୁଆଡ଼ୁ ଶହଶହ ପିଲା ଆସି ସେଠାରେ ନାମ ଲେଖାଇଲେ । ଓଡ଼ିଶା ବାହାରୁ ବହୁ ପଣ୍ଡିତ ଲୋକ ସ୍କୁଲ ଦେଖିବାକୁ ଆସିଲେ, ଖୁବ୍‌ ପ୍ରଶଂସା କଲେ ।

 

ସେତେବେଳେ ଓଡ଼ିଶା ଖଣ୍ଡ ଖଣ୍ଡ ହୋଇ ଅନ୍ୟାନ୍ୟ ପ୍ରଦେଶର ସାମିଲ ହୋଇଥିଲା । ଗୋପବନ୍ଧୁ ସବୁ ଓଡ଼ିଆ ଅଞ୍ଚଳ ଏକ କରିବାକୁ ମନ ଦେଲେ । ସେ ସିଂହଭୂମିରେ ଓଡ଼ିଆ ସ୍କୁଲ୍‌ ଖୋଲିଲେ । ସେଠାରେ ଓଡ଼ିଆ ଭାଷା ଯେପରି ଲୁଚି ନ ଯିବ, ସେଥିପାଇଁ ଲାଗି ପଡ଼ିଲେ ।

Image

 

-୪-

 

ଗୋପବନ୍ଧୁ ଓକିଲାତି କଲେ ସତ; କିନ୍ତୁ ସେଥିରୁ ପଇସା କରିବା ତାଙ୍କର ସ୍ୱଭାବ ନ ଥିଲା । ତାଙ୍କ ପାଖକୁ କୌଣସି ପକ୍ଷ ମକଦ୍ଦମା ଆଣି ଆସିଲେ, ସେ ତାଠାରୁ ଆଗ ସବୁକଥା ବୁଝନ୍ତି । ପରେ ଅନ୍ୟ ପକ୍ଷ ପାଖକୁ ଯାଇ ତାକୁ ବୁଝାବୁଝି କରାଇ ଦୁଇ ପକ୍ଷକୁ ମିଳାଇ ଦିଅନ୍ତି । ଏଥିରେ ଆଉ ମକଦ୍ଦମା ଚଳିବ କିପରି ? ଓକିଲର ବା ଦୁଇପଇସା ହେବ କୁଆଡ଼ୁ ? ପଇସା ନ ହେଲା ନାହିଁ, ସେଥିପାଇଁ ତାଙ୍କର ଭାବନା ନ ଥାଏ । ଦୁଇ ପକ୍ଷ ମିଳିଗଲେ, ସେ ଭାରି ଖୁସି ହୁଅନ୍ତି-

 

କିଛିଦିନ ପରେ ସେ ବିହାର–ଓଡ଼ିଶା ବ୍ୟବସ୍ଥାସଭାର ସଭ୍ୟ ହେଲେ । ସେତେବେଳେ ପୁରୀଜିଲ୍ଲାର ଗୋପ ପ୍ରଭୃତି ଅଞ୍ଚଳରେ ଦୁର୍ଭିକ୍ଷ ପଡ଼ିଲା । ଶହଶହ ଲୋକ ଭୋକ ଉପାସରେ ମଲେ । ଗୋପବନ୍ଧୁ ଏହି ସବୁ କଥା ବ୍ୟବସ୍ଥାସଭା ବୈଠକରେ କାନ୍ଦି କାନ୍ଦି ଏପରି ଭାବରେ ବର୍ଣ୍ଣନା କଲେ ଯେ, ଅନ୍ୟ ସଭ୍ୟମାନେ ଥୟ ଧରି ରହିପାରିଲେ ନାହିଁ । ବିହାର-ଓଡ଼ିଶା ଲାଟ ନିଜେ ଆସି ଦୁର୍ଭିକ୍ଷ ଅଞ୍ଚଳ ବୁଲି ଦେଖିଲେ । ଲୋକଙ୍କୁ ଠିକ୍‍ ସମୟରେ ସାହାଯ୍ୟ ଦିଆଯାଇ ନ ଥିବାରୁ ଦୁଃଖ ପ୍ରକାଶ କଲେ ।

 

ଗୋପବନ୍ଧୁ ଭାରତର ବଡ଼ ବଡ଼ ଖବରକାଗଜମାନଙ୍କରେ ଏହି ଦୁର୍ଭିକ୍ଷ କଥା କରୁଣ ଭାବରେ ପ୍ରକାଶ କଲେ । ଦୁର୍ଭିକ୍ଷ ଅଞ୍ଚଳର ହାଡ଼କଙ୍କାଳମାଳ ମଣିଷ, ଭାତ ଅଭାବରୁ ସେ ଖାଉଥିବା ମୁଠିଶାଗ, ମଦରଙ୍ଗା ଶାଗ, ଘାସ ଆଦିର ଛବି ଛପାଇଲେ । ସେହିକଥା ପଢ଼ି ଭାରତର ସବୁ ଅଞ୍ଚଳର ଲୋକେ ଟଙ୍କା ପଠାଇଲେ । ମହାତ୍ମା ଗାନ୍ଧୀ, ଲାଲା ଲଜପତ ରାୟ ନିଜ ନିଜ ଲୋକ ପଠାଇ ଚୁଡ଼ା ଚାଉଳ ବଣ୍ଟାଇଲେ । ଫଳରେ ହଜାର ହଜାର ଲୋକ ବଞ୍ଚିଗଲେ ।

 

୧୯୨୧ ମସିହାରେ ମହତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ସମୁଦାୟ ଭାରତ କମ୍ପି ଉଠିଲା । ଆମ ଓଡ଼ିଶାରେ ଗୋପବନ୍ଧୁ ହିଁ ଏ ଆନ୍ଦୋଳନ ସୃଷ୍ଟି କଲେ । ସେତେବେଳର ବହୁ ମୁଖିଆ ଲୋକ ତାଙ୍କୁ ଏ କାର୍ଯ୍ୟରେ ବାଧା ଦେଇଥିଲେ । ମାତ୍ର କୌଣସି ବାଧାବିଘ୍ନକୁ ସେ ଭ୍ରୂକ୍ଷେପ ନ କରି ଦୃଢ଼ ଭାବରେ କାମରେ ଲାଗିଗଲେ । ଅଳ୍ପ ସମୟ ମଧ୍ୟରେ ହଜାର ହଜାର ଯୁବକ, ସ୍କୁଲ କଲେଜ ପିଲା ଗୋପବନ୍ଧୁଙ୍କ ବାଟକୁ ଆସିଗଲେ । ଓକିଲମାନେ ଓକିଲାତି ଛାଡ଼ିଲେ, କେତେ ହାକିମ ହୁକୁମା ସରକାରୀ କାମ ଛାଡ଼ିଲେ, ସ୍କୁଲ କଲେଜ ପିଲା ପାଠପଢ଼ା ଛାଡ଼ିଲେ । ସମୁଦାୟ ଓଡ଼ିଶାରେ ଚହଳ ପଡ଼ିଗଲା । ଗୋପବନ୍ଧୁ ଗାଁ ଗାଁ ବୁଲି ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କଲେ ।

 

ସେ ହୋଇଗଲେ ଓଡ଼ିଶାର ସର୍ବମାନ୍ୟ ନେତା ।

Image

 

-୫-

 

ସେତେବେଳେ ସତ୍ୟବାଦୀ ସ୍କୁଲର ନାମଡାକ ଖୁବ୍‍ ବେଶୀ । ବିହାର-ଓଡ଼ିଶା ସରକାର ସେହି ସ୍କୁଲ ପାଇଁ ତିରଶ ହଜାର ଟଙ୍କା ଦେବାକୁ ଠିକ୍‍ କରିଥିଲେ । ମାତ୍ର ଅସହଯୋଗ ଆନ୍ଦୋଳନରେ ମିଶି ଗୋପବନ୍ଧୁ ବ୍ୟବସ୍ଥାସଭା ଛାଡ଼ିଲେ ଓ ସତ୍ୟବାଦୀ ସ୍କୁଲକୁ ଜାତୀୟ ସ୍କୁଲ କରିଦେଲେ । ସରକାରୀ ସମ୍ପର୍କ କଟିଯିବାରୁ ସ୍କୁଲକୁ ଆଉ ଟଙ୍କା ମିଳିଲା ନାହିଁ । ପରେ ପିଲାମାନେ ମଧ୍ୟ ଆସ୍ତେ ଆସ୍ତେ କମିଗଲେ । ଶେଷକୁ ତାଙ୍କର ଅତିପ୍ରିୟ ସ୍କୁଲଟି ଭାଙ୍ଗିଗଲା । ତଥାପି ଦେଶପାଇଁ ସେ ତାହା ବଳି ଦେଇଥିବାରୁ ଦିନେହେଲେ ଦୁଃଖ କରି ନାହାନ୍ତି ।

 

ଦେଶ କାମରେ ଲାଗି ଗୋପବନ୍ଧୁ ବହୁ କଷ୍ଟ ଭୋଗିଥିଲେ । ସେତେବେଳର ଇଂରେଜ ସରକାର ତାଙ୍କ ପିଛା ଲାଗି ଥାଆନ୍ତି ।

 

ପ୍ରଥମେ ଥରେ ତାଙ୍କୁ ଗିରଫ କରାଯାଇ ହାଜତରେ ରଖାଗଲା; ତାଙ୍କ ବିରୁଦ୍ଧରେ ମକଦ୍ଦମା ଚାଲିଲା । ମାତ୍ର ସେ ମକଦ୍ଦମାର ବିଚାର ବେଳେ କିଛିହେଲେ ନିଜ ଆଡ଼ୁ କହିଲେ ନାହିଁ-। ହାକିମ ତାଙ୍କୁ ନିର୍ଦ୍ଦୋଷ କହି ଛାଡ଼ିଦେଲେ । ତା’ ପରେ ଯେଉଁଠାକୁ ସେ ଗଲେ, ସେଠାରେ ତାଙ୍କ ଉପରେ ୧୪୪ ଧାରା ଜାରି ହେଲା । ଏହା ଅର୍ଥ, ସେ ସଭା କରିପାରିବେ ନାହିଁ କି ବକ୍ତୃତା ଦେଇପାରିବେ ନାହିଁ । ମାତ୍ର ସେ ଏ କଥା ମାନିଲେ ନାହିଁ ।

 

ତାଙ୍କୁ ହଇରାଣ କରିବା ଲାଗି ପୁଲିସ ତାଙ୍କ ଘର, ବସା ଓ ଆଉ ସବୁ ରହିବା ଜାଗା ଖାନତଲାସ କଲେ । ସେତେବେଳେ କନିକା ଜମିଦାରଙ୍କ ଅତ୍ୟାଚାରରେ ପ୍ରଜାମାନେ ଛଟପଟ ହେଉଥିଲେ । ରାଜା ଇଂରେଜ ସରକାରଙ୍କର ପ୍ରିୟପାତ୍ର ଥିଲେ । ସେହି ବଳରେ ସେ ପ୍ରଜାମାନଙ୍କର ଧନସମ୍ପତ୍ତି ଲୁଟି ନେଉଥାନ୍ତି । ବିବାହ କର, ପିଲାଜନ୍ମ କର, ମୃତ୍ୟୁ କର, ଚୁଲି କର, କଳି କର–ଏହିପରି ୧୦୮ ପ୍ରକାର କର ପ୍ରଜାମାନଙ୍କଠାରୁ ଆଦାୟ କରୁଥାଆନ୍ତି । ଯେ ଦେଇ ନପାରେ ପୁଲିସ ହାତରେ ତାକୁ ମାଡ଼ ମରାନ୍ତି, ଘରର ଧନ ସମ୍ପତ୍ତି ଲୁଟି ନିଅନ୍ତି ।

 

ଇଂରେଜ ସରକାର ତ ଜମିଦାରଙ୍କ ପକ୍ଷରେ । ପ୍ରଜାଙ୍କ ଗୁହାରି ଶୁଣିବ କିଏ ? ସେମାନେ ହତାଶରେ କାନ୍ଦି କାନ୍ଦି କାଳ କାଟୁଥାନ୍ତି ।

 

ଗୋପବନ୍ଧୁ ଏହା ସହିପାରିଲେ ନାହିଁ । ପ୍ରଜାମାନଙ୍କୁ ବିପଦରୁ ଉଦ୍ଧାର କରିବାପାଇଁ ଅଣ୍ଟା ବାନ୍ଧି ବାହାରି ପଡ଼ିଲେ । ଗୋପବନ୍ଧୁଙ୍କ ସାହାଯ୍ୟ ପାଇ ପ୍ରଜାମାନଙ୍କ ସାହସ ବଢ଼ିଲା । ସେମାନେ ଆନ୍ଦୋଳନ କଲେ ।

 

ସରକାର ଗୋପବନ୍ଧୁଙ୍କ ନାମରେ ପୁଣି ଏକ ମକଦ୍ଦମା କଲେ । ଯେକୌଣସି ମତେ ତାଙ୍କୁ ଲୋକଙ୍କଠାରୁ ଦୂରେଇ ଦେବା ସରକାରର ଇଚ୍ଛା । ନାମକୁ ମାତ୍ର ବିଚାର ହୋଇ ଦୁଇ ବର୍ଷ ଜେଲ୍‍ ଦଣ୍ଡ ମିଳିଲା । ଗୋପବନ୍ଧୁ ହସି ହସି ଲୋକଙ୍କ ଠାରୁ ବିଦାୟ ନେଇ ଜେଲ୍‍ ଭିତରକୁ ଗଲେ-

 

କଟକ ଜେଲ୍‍ରୁ ହଜାରିବାଗ ଜେଲ୍‍କୁ ତାଙ୍କୁ ଯେତେବେଳେ ନିଆଗଲା, ସେତେବେଳେ ରେଳଗାଡ଼ିରେ ବସି ସେ ଖଣ୍ଡିଏ ବହି ଲେଖିଥିଲେ । ବହିଟି ପଢ଼ିଲେ ଯେ କେହି ଲୋକ କାନ୍ଦି ପକାଇବ । ଦେଶକୁ ଆଉ ଦେଶର ଲୋକଙ୍କୁ ସେ କେମିତି ନିଜ ପ୍ରାଣଠାରୁ ବେଶୀ ଭଲ ପାଉଥିଲେ, ତାହା ସେ ବହିର ପ୍ରତି ପଦରୁ ସୁନ୍ଦର ଭାବରେ ଜଣାଯାଏ । ସେଥିରେ ଠାଏ ସେ ଲେଖିଛନ୍ତି–

 

“ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ।

ସ୍ଵାଧୀନତା ପଥେ ଅଛି ଯେତେ ଗାଡ଼

ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।

ସ୍ଵାଧୀନତା ପଥେ ତିଳେ ହେଲେ ନର

ମୋ ଜୀବନ ଦାନେ ହେଉ ଅଗ୍ରସର ।’’

 

ଜେଲ୍‍ ଭିତରେ ରହି ସେ ପ୍ରତି ମୁହୂର୍ତ୍ତରେ ଦେଶ କଥା ଭାବୁଥିଲେ । ଦେଶଲୋକଙ୍କର ଦୁଃଖକଷ୍ଟ ସୁମରି ଆଖିରୁ ଲୁହ ଢାଳୁଥିଲେ । ସେତେବେଳେ ‘କାରା କବିତା’, ‘ଧର୍ମପଦ’, ‘ନଚିକେତା ଉପାଖ୍ୟାନ’ ପ୍ରଭୃତି କେତେ ଖଣ୍ଡି ସୁନ୍ଦର କବିତା ବହି ସେ ଲେଖିଥିଲେ । ସେହି କବିତା ପଢ଼ିଲେ ସେ କିପରି ମହତ, କିପରି ଉଦାର–ତାହା ଜଣାପଡ଼େ ।

 

ଦୁଇବର୍ଷ ଜେଲ୍‍ ଭୋଗି ସେ ପୁଣି ଦେଶକୁ ଫେରି ଆସିଲେ । ସରକାର ଭାବିଥିଲେ, ଏମିତି ଜେଲରେ ରଖିଲେ ଗୋପବନ୍ଧୁ ଦବିଯିବେ; ମାତ୍ର ଗୋପବନ୍ଧୁ ଦାବିବାର ନୁହନ୍ତି; ସେ ଦବିଲେ ନାହିଁ । ଜେଲ୍‍ରୁ ଫେରି ପୁଣି ଦେଶକାମରେ ଲାଗିପଡ଼ିଲେ ।

Image

 

-୬-

 

ଅସହଯୋଗ ଆନ୍ଦୋଳନ ଆଗରୁ ସେ ସତ୍ୟବାଦୀଠାରୁ ‘ସତ୍ୟବାଦୀ’ ନାମରେ ଖଣ୍ଡିଏ ସାହିତ୍ୟ ପତ୍ରିକା ପ୍ରକାଶ କରୁଥିଲେ । କିଛିଦିନ ପରେ ‘ସମାଜ’ ଖବରକାଗଜ ସେଠାରୁ ବାହାର କଲେ । ପ୍ରଥମେ ‘ସମାଜ’ ସାତ ଦିନେ ଥରେ ପ୍ରକାଶ ପାଉଥିଲା । ଦେଶର ହାଲଚାଲ, ସରକାରଙ୍କ ଜୁଲମ, ଲୋକଙ୍କ ହାରିଗୁହାରି ସେଥିରେ ଏଭଳି ସହଜ ଏବଂ ସରଳ ଭାବରେ ଲେଖାଯାଉଥିଲା ଯେ, ଗାଁର ଦରପାଠୁଆ ଲୋକ–ଯେଉଁମାନେ କି କେବଳ ଅକ୍ଷର ଚିହ୍ନି ପାଠ ପଢ଼ନ୍ତି, ସେମାନେ ସମାଜ ପଢ଼ି ସବୁକଥା ବୁଝି ପାରୁଥିଲେ । ଜେଲ୍‍ରୁ ଆସି ଗୋପବନ୍ଧୁ ‘ସମାଜ’ ଜରିଆରେ ଲୋକଙ୍କୁ ଦୁନିଆ କଥା ଜଣାଇ ସେମାନଙ୍କୁ ବେଶି ଶିକ୍ଷିତ କରିବାରେ ଲାଗି ପଡ଼ିଲେ । ସତ୍ୟବାଦୀ ପ୍ରେସ ଓ ‘ସମାଜ’ ଅଫିସ ସତ୍ୟବାଦୀରୁ ପୁରୀ ଗଲା । ଏବେ ପୁରୀରୁ ଆସି କଟକରେ ରହିଛି ଓ ପ୍ରତିଦିନ ବହୁ ସଂଖ୍ୟାରେ ’ସମାଜ’ ପ୍ରକାଶ ପାଇ ହଜାର ହଜାର ଲୋକଙ୍କର ଉପକାର କରୁଛି ।

 

୧୯୨୫ ମସିହାରେ ନଈବଢ଼ିରେ ପୁରୀ ଜିଲ୍ଲାର ବହୁତଗୁଡ଼ିଏ ଗାଁ ଭାସିଗଲା; ଲୋକେ ଅସହାୟ ହୋଇ ପଡ଼ିଲେ ।

 

ଗୋପବନ୍ଧୁ ବନ୍ୟା ସାହାଯ୍ୟ କମିଟି ଗଢ଼ି ଲୋକଙ୍କୁ ପୁଣି ଥଇଥାନ କରାଇବାରେ ଲାଗି ପଡ଼ିଲେ । ଗାଁ ଗାଁ ବୁଲି ଲୋକଙ୍କ ଦୁର୍ଦ୍ଦଶା ଦେଖିବା, ବାହାରୁ ସେମାନଙ୍କ ସାହାଯ୍ୟ ପାଇଁ ଚାନ୍ଦା ଉଠାଇବା, ସେ ଚାନ୍ଦାରେ ଲୋକେ କିପରି ନିଜର ଘରଦ୍ଵାର କରିବେ, କେମିତି ଦୁଇ ପଇସା ରୋଜଗାର କରି ପେଟ ପୋଷିବେ–ଏହି କାମ କରିବାରେ ତାଙ୍କ ଦିନ ରାତି କଟିଲା । ତିନିବର୍ଷ କାଳ ଏଥିପାଇଁ ସେ ଖୁବ୍‍ ପରିଶ୍ରମ କରିଥିଲେ ।

 

ଏହି ହାଡ଼ଭଙ୍ଗା କାମରେ ବରାବର ଲାଗି ଲାଗି ସ୍ୱାସ୍ଥ୍ୟ ଖରାପ ହୋଇଗଲା । ୧୯୨୮ ଅପ୍ରେଲ ୩୦ ତାରିଖରେ ତାଙ୍କୁ ଟାଇଫଏଡ଼ ଜର ହେଲା । ପଚିଶ ଦିନ ପରେ ଆରୋଗ୍ୟ ହୋଇ ପୁଣି ଗୋପବନ୍ଧୁ ଦେଶ କାମରେ ଲାଗି ପଡ଼ିଲେ । କଲିକତାରେ ଥିବା ଓଡ଼ିଆମାନଙ୍କ ହାନି ଲାଭ ବୁଝିବା ପାଇଁ କଲିକତା ଗଲେ ।

 

ସେଠାରେ ତାଙ୍କ ଦେହ ପୁଣି ଖରାପ ହେଲା । ଗୋପବନ୍ଧୁ କଲିକତାରୁ ଫେରି ସତ୍ୟବାଦୀ ସ୍କୁଲରେ ବିଶ୍ରାମ ନେଲେ । ମାତ୍ର ସେତେବେଳକୁ ସବୁଦିନ ଲାଗି ବିଶ୍ରାମ ନେବାର ଡକରା ଆସି ଯାଇଥିଲା ।

Image

 

-୭-

 

୧୯୨୮ ମସିହା ଜୁନ୍‍ ୧୨ ତାରିଖରୁ ୧୬ ତାରିଖ ଯାଏ ଗୋପବନ୍ଧୁ ରୋଗଶଯ୍ୟାରେ ପଡ଼ିରହିଲେ । ୧୬ ତାରିଖ ସନ୍ଧ୍ୟା ସାତଟା ସମୟରେ ସମଗ୍ର ଓଡ଼ିଆ ଜାତି ଓ ଓଡ଼ିଶାବାସୀଙ୍କୁ କନ୍ଦାଇ ସେ ଅମରଧାମକୁ ଚାଲିଗଲେ ।

 

ସେଦିନ ଶ୍ରୀ ଶ୍ରୀ ଜଗନ୍ନାଥ ଠାକୁରଙ୍କର ନେତ୍ରୋତ୍ସବ । ତିନି ଦିଅଁଙ୍କର ନେତ୍ର ଖୋଲିଯିବା ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କ ପରମ ଭକ୍ତ ଗୋପବନ୍ଧୁ ନେତ୍ର ବୁଜିଲେ । ଦେଶସାରା କ୍ରନ୍ଦନର ଚହଳ ପଡ଼ିଗଲା ।

 

ମୃତ୍ୟୁର ଚାରି ଘଣ୍ଟା ଆଗରୁ ସେ କେତେକ ବଶିଷ୍ଟ ଲୋକଙ୍କୁ ପାଖରେ ବସାଇ ତାଙ୍କ ଧନସମ୍ପତ୍ତି ଦେଶ ଓ ଦେଶର ହିତପାଇଁ ଦାନପତ୍ର କରିଦେଲେ । ସେଥିରେ ପରିବାରର ଜମିବାଡ଼ି ସବୁ ଘର ଠାକୁରଙ୍କ ନାମରେ ଉତ୍ସର୍ଗ କରି କେତେ ଜଣ ଲୋକ ତାହା ବୁଝିବା ପାଇଁ ନିଯୁକ୍ତ କଲେ-। ସତ୍ୟବାଦୀ ପ୍ରେସ୍‍, ‘ସମାଜ’ ଖବରକାଗଜକୁ ଦେଶ ସେବାରେ ଲଗାଇବା ପାଇଁ ‘ଲୋକ ସେବକ ମଣ୍ଡଳ’ ମାରଫତ ଦେଇଗଲେ ।

 

ଦାନପତ୍ରରେ ଲେଖିଥିଲେ ସତ୍ୟବାଦୀ ପ୍ରେସ୍‍ ଅନୁଷ୍ଠାନ କାହାରି ବ୍ୟକ୍ତିଗତ ସମ୍ପତ୍ତି ହେବ ନାହିଁ । ଯାହା ଲାଭ ମିଳିବ ତାହା ଦେଶର ଗରିବ, ବିପନ୍ନ ଲୋକଙ୍କ ସେବାରେ ଲାଗିବ । ଦରିଦ୍ର ଛାତ୍ରଙ୍କୁ ପଢ଼ିବା ପାଇଁ ବୃତ୍ତି ଦିଆଯିବ ।

 

ଗୋପବନ୍ଧୁ ଏ ଦୁନିଆକୁ ଆସିଥିଲେ ପର ପାଇଁ । ପର ପାଇଁ ଜୀବନଯାକ କାମ କଲେ-। ଶେଷରେ ନିଜର ଧନ ସମ୍ପତ୍ତି ଏପରିକି ନିଜ ଜୀବନ ମଧ୍ୟ ପର ପାଇଁ ଦେଇଗଲେ ।

 

ସେ ଲେଖିଥିଲେ–

 

ନିଜ ସ୍ଵାର୍ଥ ଲାଗି ଜାତ ନୁହେ ହିନ୍ଦୁ

ବିଶ୍ଵ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ ।

 

ଏହି କଥା ତାଙ୍କ ଜୀବନରେ ସେ ତିଳ ତିଳ କରି ପ୍ରମାଣ କରି ଦେଇଗଲେ ।

 

ଦେଶ କାମରେ ଲାଗି ସେ ତାଙ୍କର ଏକମାତ୍ର ପୁଅକୁ ହରାଇଥିଲେ । ଆଜି ଦେଶର କୋଟି କୋଟି ପୁଅ ତାଙ୍କୁ ହରାଇ ବାପଛେଉଣ୍ଡ ହୋଇ ପଡ଼ିଛନ୍ତି । ପ୍ରତିବର୍ଷ ନେତ୍ରୋତ୍ସବ ଦିନ ତାଙ୍କୁ ମନେ ପକାଇ ଆଖିରୁ ଲୁହ ଢାଳୁଛନ୍ତି, ତାଙ୍କ ପାଇଁ ତିଳ ତର୍ପଣ କରୁଛନ୍ତି ।

 

ଗୋପବନ୍ଧୁ ଥିଲେ ଏ ଦେଶର ଅଗଣିତ ଦରିଦ୍ର ଅସହାୟ ବିପଦଗ୍ରସ୍ତ ଲୋକଙ୍କ ବନ୍ଧୁ । ତାଙ୍କ ମୁହଁରୁ ପଦେ ଆଶ୍ଵାସନା ବାଣୀ ଶୁଣିଲେ ଲୋକେ ନିଜର ଦୁଃଖ କଷ୍ଟ ଭୁଲି ଯାଉଥିଲେ । ଗୋପବନ୍ଧୁ ନିଜ ଆଖିରୁ ଲୁହ ଢାଳି ଲୋକମାନଙ୍କ ଆଖିରୁ ଲୁହ ପୋଛି ଦେଉଥିଲେ ।

 

ଯେତେବେଳେ ବଢ଼ିରେ ଗାଁ ଗଣ୍ଡା ଭାସୁଛି, ଦୁର୍ଭିକ୍ଷରେ ଲୋକ ମରୁଛନ୍ତି, ଆପଦ ବିପଦ ଆସି ଘାରୁଛି, ସେତେବେଳେ ବଡ଼ ବିକଳରେ ଲୋକେ କହୁଛନ୍ତି–“ଆହା, ଆମ ଗୋପବନ୍ଧୁ ଥାଆନ୍ତେ କି ?’’

 

ନିଜର ଜ୍ଞାନ, ନିଜର ବିଦ୍ୟା ବୁଦ୍ଧି ନିଜ ମୁହଁରେ ପ୍ରଚାର କରିବାକୁ ସେ ଘୃଣା କରୁଥିଲେ-। ଯେ ଯେତେ ଅନୁରୋଧ କଲେ ମଧ୍ୟ ସେ କେବେହେଲେ ନିଜର ଫଟୋଚିତ୍ର ଉଠାଉ ନ ଥିଲେ-

 

ତାଙ୍କର ଶ୍ରେଷ୍ଠ ବନ୍ଧୁ, ଶୁଭାନୁଧ୍ୟାୟୀ ଲାଲା ଲାଜପତ ରାୟ ଭାରତ ସମ୍ପର୍କରେ ଇଂରାଜୀରେ ଖଣ୍ଡିଏ ବହି ଲେଖିଛନ୍ତି । ତାହା ଏବେ ପୃଥିବୀ ପ୍ରସିଦ୍ଧ ହୋଇଛି । ସେ ବହିରେ ଭାରତର ସବୁ ବଡ଼ ବଡ଼ ନେତାଙ୍କ ଫଟୋ ରହିଛି । ବହି ଛପା ହେଲା ବେଳେ ଖଣ୍ଡିଏ ଫୋଟ ପଠାଇବା ପାଇଁ ଗୋପବନ୍ଧୁଙ୍କୁ ସେ ଅନୁରୋଧ କରିଥିଲେ । ମାତ୍ର ଗୋପବନ୍ଧୁ ମନା କରିଦେଲେ । ଫଟୋ ଦେଲେ ନାହିଁ ।

 

ଗୋପବନ୍ଧୁ ଥିଲେ ଜଣେ ନିଷ୍ଠାପର କର୍ମୀ । ପର ପାଇଁ, ଦେଶର ହିତ ପାଇଁ କାମ କରିକରି ତାଙ୍କ ପରମାୟୁ ତିଳତିଳ ହୋଇ କଟିଯାଇଛି । ସାମାନ୍ୟ ମୁଢ଼ି ମୁଠାଏ ଥିଲା ତାଙ୍କର ଜଳଖିଆ । ବଗଡ଼ା ଭାତ ଓ ଡାଲି ବ୍ୟତୀତ କୌଣସି ଭଲ ତରକାରୀ ସେ ପସନ୍ଦ କରୁ ନଥିଲେ । କହୁଥିଲେ, ଏ ଗରିବ ରାଜ୍ୟରେ ଏପରି ବିଳାସ କରିବା ଅନ୍ୟାୟ ।

 

ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥିବା ଗୋଟେ ଖଦଡ଼ ଲୁଗା ଓ ଖଦଡ଼ ଚାଦର ଥିଲା ତାଙ୍କର ସବୁ ଦିନର ପୋଷାକ । ଜୋତା ମାଡ଼ିବାକୁ ଆଡମ୍ବର ବୋଲି ସେ ଭାବୁଥିଲେ । ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ ଯେତେବେଳେ ଓଡ଼ିଶା ଆସିଥିଲେ; ଲକ୍ଷ ଲକ୍ଷ ଲୋକ ଗହଣରେ ଖାଲି ପାଦରେ ତାଙ୍କୁ ସେ ସମ୍ବର୍ଦ୍ଧନା କରିଥିଲେ ।

 

ସେ ଲେଖିଥିଲେ–

 

“ମାନବ ଜୀବନ ନୁହଇ କେବଳ

ବର୍ଷ ମାସ ଦିନ ଦଣ୍ଡ

କର୍ମେ ଯିଏ ନର କର୍ମ ଏକା ତାର

ଜୀବନର ମାନଦଣ୍ଡ ।

 

କାପୁରୁଷ ପରି ମରିବା ଜଗତେ

ନୁହେ ନର ପଉରୁଷ

ପରହିତ ସାଧି ମରେ ଯେ ମହୀରେ

ସେହି ଏକା ସୁପୁରୁଷ ।

Image